ଚାଷୀଙ୍କୁ ମିଳିବ କ୍ଷତିପୂରଣ
– ୩୦ ତାରିଖ ମଧ୍ୟରେ ଚିହ୍ନଟ ହେବେ କ୍ଷତିଗ୍ରସ୍ତ ଚାଷୀ
– ଡିବିଟି ମାଧ୍ୟମରେ କ୍ଷତିପୂରଣ ଦିଆଯିବ
– ବୀମା କମ୍ପାନୀଙ୍କ ସହ ରିପୋର୍ଟ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ
– ଏ ଯାଏଁ ୧ ଲକ୍ଷ ୨୬ ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି
– କାଲି ସୁଦ୍ଧା ଚାଷୀ ନିଜର କ୍ଷୟକ୍ଷତି ବାବଦରେ ଅଭିଯେୋଗ କରନ୍ତୁ
– କୃଷିରକ୍ଷକ ଆପ୍ଲିକେସନରେ କ୍ଷୟକ୍ଷତି ବାବଦରେ ଅଭିଯୋଗ କରିବାକୁ କୁହାଯାଇଛି
– ୧୪, ୪୪୭ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ଚାଷୀ
ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇଦେଇଛି । ବର୍ଷ ସାରା କଷ୍ଟ ଅର୍ଜିତ ଫସଲ ଏବେ ପାଣିରେ ଭାସୁଛି । ଯାହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏହାରି ଭିତରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ମୋହନ ମାଝୀ ଏନେଇ କ’ଣ ଘୋଷଣା କରିଛନ୍ତି ?
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା କୃଷି କ୍ଷୟକ୍ଷତି ସମୀକ୍ଷା ବୈଠକ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଚିହ୍ନଟ ହେବେ କ୍ଷୟକ୍ଷତି ସହିଥିବା ଚାଷୀ। ଏହି ଚାଷୀମାନଙ୍କୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବୀମାଭୁକ୍ତ ଚାଷୀ ଓ ବୀମା କରିନଥିବା ଚାଷୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଯଥାଶୀଘ୍ର ସହାୟତା ଡିବିଟି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସିଥିବା ରିପୋର୍ଟକୁ ନେଇ ଇନ୍ସୁରାନ୍ସ କମ୍ପାନୀମାନଙ୍କ ସହ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର।ସରକାରୀ ସାହାଯ୍ୟ ସମସ୍ତଙ୍କୁ ମିଳିବ।
ଏବେ ପର୍ଯ୍ୟନ୍ତ ୧ ଲକ୍ଷ୍ୟ ୨୬ ହଜାର ଚାଷୀ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ରିପୋର୍ଟ ହୋଇଛି। କାଲି ସୁଦ୍ଧା ସମସ୍ତେ ସମୟ ମଧ୍ୟରେ ଚାଷୀ ନିଜର କ୍ଷୟ କ୍ଷତି ବାବଦରେ ଅଭିଯୋଗ ଦିଅନ୍ତୁ। ଧାନ ସହ ପାନ ଆଉ ପରିବା ଚାଷୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଅପ୍ଲିକେଶରେ ରେ ନିଜର କ୍ଷୟକ୍ଷତି ବାବଦରେ ସୂଚନା ଦିଅନ୍ତୁ ଚାଷୀ। ଜାରି ହୋଇଥିବା ୧୪୪୪୭ ଟୋଲ ଫ୍ରି ନମ୍ୱର୍ ରେ ମଧ୍ୟ ଚାଷ ବିଷୟରେ ଅଭିଯୋଗ କରିପାରିବେ।
ଅଦିନିଆ ବର୍ଷାରେ ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି । ଧାନ ଓ ପରିବା ଚାଷ ଏତେ ମାତ୍ରାରେ କ୍ଷତି ହୋଇଛି ଯେ ଚାଷୀମାନେ ହତାଶ ହୋଇଯାଇଛନ୍ତି । ବର୍ଷକ ଅମଳ ପାଣିରେ ପଚିଯିବାରୁ ସରକାରୀ ସହାୟତା ଚାଷୀଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି ।
ଚାଷୀଟିଏ ଏକର ପିଛା ଅତିକମରେ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିଥାଏ । ଧାନ ଠିକରେ ଅମଳ ହେଲେ ୩୦ରୁ ୩୫ କୁଇଣ୍ଟାଲ ହୋଇଥାଏ । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହିସାବରେ ଅତି କମରେ ୯୦ ହଜାରରୁ ଅଧିକ ଟଙ୍କାର ଧାନ ଅମଳ କରିଥାଏ । ଯଦି ମଣ୍ଡିକୁ ନ ନେଇ ବାହାରେ ବିକ୍ରି କଲେ ମଧ୍ୟ କ୍ବିଣ୍ଟାଲ ୨୩୦୦ ଟଙ୍କା ହିସାବରେ ଅତି କମରେ ୬୦ ହଜାର ଟଙ୍କା ପାଇଥାଆନ୍ତା । ତାହାକୁ ନଜରରେ ରଖି ରାଜ୍ୟ ସରକାର ଧାନ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ପୁରୀ ଜିଲ୍ଲାର ଚାଷୀକୁଳ । ଜଗତସିଂହପୁରର ଚାଷୀମାନେ କହିଛନ୍ତି, ବର୍ଷକର ଆହାର ଉଜାଡ଼ି ଦେଇଛି ବର୍ଷା । ତେଣୁ ଚାଷୀମାନଙ୍କୁ ଋଣ ଛାଡ଼ କରିବା ସହ ଏକର ପିଛା ଅତିକମ୍ରେ ୪୦ ହଜାର ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି ଜଗତସିଂହପୁର ଜିଲ୍ଲାର ଚାଷୀମାନେ ।
ଆଜିର ବୈଠକରେ କୃଷି ମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା ଓ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ ।