Manmohan Singh Passes Away

ଆଉ ନାହାନ୍ତି ଡକ୍ଟର ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ପରଲୋକ । ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ମନମୋହନ ସିଂହ । ଦିଲ୍ଲୀ ସ୍ଥିତ ଏମ୍ସରେ ମନମୋହନ ସିଂହଙ୍କ ପରଲୋକ ଘଟିଛି । ଗୁରୁବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଡକ୍ଟର ମନମୋହନ ସିଂହଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବର୍ଷିଆନ ରାଜନେତା ଭାବେ ଜଣାଥିଲେ ମନମୋହନ ସିଂହ ।

କଂଗ୍ରେସ ନେତୃତ୍ବାଧୀନ UPA-1 ଓ UPA-2 ସରକାରରେ ପ୍ରଧାନମନ୍ତ୍ରୀ ଥିଲେ ଡକ୍ଟର ମନମୋହନ ସିଂହ । ଦେଶ ଯେତେବେଳେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ତାଙ୍କର ବିଚକ୍ଷଣ ଦକ୍ଷତା ଯୋଗୁ ଅନେକ ମାତ୍ରାରେ ସୁଧାର ଆସିଥିଲା । ଦେଶର ଅର୍ଥନୀତି ପୁଣି ଟ୍ରାକ୍‌କୁ ଫେରିଥିଲା ।

ଅଧିକ ଜାଣିବା ପାଇଁ ତଳେ ଦିଅ ଯାଇଥିବା ଭିଡ଼ିଓ ଦେଖନ୍ତୁ :

ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା।  ମନମୋହନଙ୍କ ପରିବାରରେ ପତ୍ନୀ ଓ ୩ ଝିଅ ଅଛନ୍ତି। ତାଙ୍କର ଜଣେ ଝିଅ ଆମେରିକାରେ ରହୁଥିବା ବେଳେ ସେ ଆସନ୍ତାକାଲି ପହଞ୍ଚିଲେ ଅନ୍ତିମ ସତ୍କାର କରାଯିବ ବୋଲି ଜଣାଯାଇଛି। ଆସନ୍ତାକାଲି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଜଘାଟରେ ହେବ ଅନ୍ତିମ ସଂସ୍କାର। ମନମୋହନ ସିଂହଙ୍କ ବିୟୋଗରେ ସାରା ଦେଶରେ ୭ ଦିନିଆ ଶୋକ ଘୋଷଣା କରିଛନ୍ତି ମୋଦି ସରକାର । 

ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା, କଂଗ୍ରେସ ନେତା ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚିଥିଲେ। ସେମାନେ ଏହି ଅମାୟିକ ତଥା ବିଦ୍ୱାନ ଜନପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମନମୋହନଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ମନମୋହନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟୀକ ସ୍ଵଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ ଥିଲେ ମନମୋହନ ସିଂହ। ସେ ଅତି ସରଳ, ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ। ୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହିଥିଲେ। ଗତବର୍ଷ ଏପ୍ରିଲରେ ରାଜ୍ୟସଭା ସାଂସଦ ଭାବରେ ଅବସର ନେଇଥିଲେ ମନମୋହନ ସିଂହ। ତାଙ୍କୁ ୧୯୮୭ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ଭାରତର ରାଜନୀତି ଓ ଆର୍ଥିକ ସୁଧାର କ୍ଷେତ୍ରରେ ମନମୋହନ ସିଂହଙ୍କ ଯୋଗଦାନକୁ ସବୁବେଳେ ମନେ ରଖିବ ଦେଶ।

Leave a Reply

Your email address will not be published. Required fields are marked *