ଆଗାମୀ ୧୦୦ ବର୍ଷ ପାଇଁ ବିଜେଡି ଓଡ଼ିଶାବାସୀଙ୍କ ସେବା କରିବ । କିଛି ନିନ୍ଦୁକ କହୁଛନ୍ତି ଯେ ବିଜେଡିର ଭବିଷ୍ୟତ ନାହିଁ । ଭବିଷ୍ୟତ ନଥିବା କଥା ବିଜେଡି ପ୍ରତିଷ୍ଠା ବେଳେ ବି କହୁଥିଲେ । ସବୁଦିନ ପାଇଁ ବିଜେଡି ସମସ୍ତଙ୍କ ହୃଦୟରେ ରହିଯାଇଛି । ପ୍ରତିଷ୍ଠା ଦିବସରେ ଏମିତି କିଛି କହି ଶାସକ ବିଜେପିକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତା’ର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର ଠିକ୍ ଭାବରେ କାଉଣ୍ଟର କରି ପାରିଲୁ ନାହିଁ। ସେମାନଙ୍କ ନେଗେଟିଭ କ୍ୟାମ୍ପେନ ଓ ସୋଶାଲ ମିଡିଆରେ ଫଲ୍ସ ନ୍ୟାରେଟିଭ୍ର ଠିକ୍ ଭାବରେ ଆମେ କାଉଣ୍ଟର କରି ପାରିଲୁ ନାହିଁ।’ ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କଥା କହିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସେ କହିଥିଲେ, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ। ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି। ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା’ମାନେ ଦୁଃଖରେ ଅଛନ୍ତି। ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ?
ନବୀନ ଆହୁରି ମଧ୍ୟ କହିଥିଲେ, ଆଜି ଓଡ଼ିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇଭଉଣୀମାନଙ୍କୁ ସୋଶାଲ ମିଡିଆରେ ସକ୍ରିୟ ରହି ବିଜେପିର ଫଲ୍ସ ନ୍ୟାରେଟିଭ୍ର ଉଚିତ୍ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ନବୀନ। ସେ କହିଥିଲେ ଯେ ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ।
ନବୀନ ଆହୁରି କହିଥିଲେ,୧୯୯୭ରେ ଆମ ଦଳ ଗଠନ ବେଳେ କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ। ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ। ମୁଁ ଦୃଢ଼ତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡ଼ି ହୋଇ ରହିଛି। ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ବା ଜଣେ ରାଜନୀତିଜ୍ଞ ଭାବରେ ଦୀର୍ଘ ଅନୁଭୁତି ଥିବା ସତ୍ୱେ ସେ ଯେପରି ଭାବରେ ଗତ ନିର୍ବାଚନକୁ ଘରେ ବସି ଅନ୍ୟ ମାନଙ୍କ ଦ୍ୱାରା ପରିଚାଳନା କରିବାକୁ ଚାହିଁଲେ ତାହା ରାଜ୍ୟରେ ବିଜୁ ଜନତା ଦଳ ପ୍ରତି ଏକ ନକରାତ୍ମକ ଭାବ ସୃଷ୍ଟିକଲା। ଫଳରେ ବିଜେପିର ସବୁ ପ୍ରତିଶ୍ରୁତିଗୁଡ଼ିକ ବିଜେଡି ଉପରେ ଭାରି ହୋଇପଡ଼ିଲା। ବିଜେଡି ଆଗରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି – ଦଳର ଆଗକୁ ଭବିଷ୍ୟତ କ’ଣ ? କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? ବିଶେଷ କରି ପରାଜୟ ପରେ ଏ ପ୍ରଶ୍ନ ଆହୁରି ତୀବ୍ର ହୋଇଛି । ସେପଟେ ଆକ୍ରମଣାତ୍ମକ ମୁଦ୍ରାରେ ନବୀନ ବାବୁଙ୍କର ବିଜେପି ଉପରେ ଏହି ଅଭିଯୋଗ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ ।
ଧର୍ମେନ୍ଦ୍ର ନିଜ ପ୍ରତିକ୍ରିୟାରେ ବିଜେପି ସରକାରର ଏକ ବଡ଼ ଯୋଜନାର ଉଦାହରଣ ଦେଇ ନବୀନ ବାବୁଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, ସୁଭଦ୍ରା ଯୋଜନାରେ ଏକ ବଡ଼ ସଂଖ୍ୟାରେ ମହିଳା ହିତାଧିକାରୀଙ୍କୁ ସହାୟତା ଦିଆଯାଉଛି । ତେଣୁ କିଏ ମିଛ କହୁଛି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ ।