ପର୍ଥରେ ଭାରତର ଜଲୱା, ବିରାଟ କୋହଲି ଅପରାଜିତ ୧୦୦ ଓ ଯଶସ୍ୱୀ ଜୈସୱାଲ ୧୬୧
ଐତିହାସିକ ଶତକ ପରେ ବ୍ରାଡମ୍ୟାନଙ୍କୁ ଟପିଲେ କୋହଲି, ଏକାଧିକ ରେକର୍ଡ କଲେ ବିରାଟ
ବ୍ୟାଟିଂ ପରେ ବୋଲିଂରେ କମାଲ, ଘାତକ ବୋଲିଂରେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ଧରାଶାୟୀ
ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଭାରତର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଭାରତୀୟ ଟିମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋଲିଂରେ ନିଜେ ଅଧିନାୟକ ଯଶପ୍ରୀତ ବୁମ୍ରା କମାଲ କରିବା ସହ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ରେ ଅଲଆଉଟ କରିଦେଇଥିଲେ।
ଭାରତ ୪୬ ରନର ଲିଡ୍ ହାସଲ କରିବା ପରେ ପର୍ଥରେ ଦେଖାଇଥିଲା ନିଜର ଜଲୱା। ଦ୍ୱିତୀୟ ଇନିଂସରେ ଭାରତ ପ୍ରାୟ ଦେଢ଼ ଦିନ ବ୍ୟାଟିଂ କରି ୬ ୱିକେଟ ବଳରେ ୪୮୭ ରନ କରିବା ପରେ ପାଳି ଘୋଷଣା କରିଛି। ଯଶସ୍ୱୀ ଜୈସୱାଲ ୧୬୧, ବିରାଟ କୋହଲି ଅପରାଜିତ ୧୦୦ ଓ କେଏଲ ରାହୁଲ ୭୭ ରନର ଦମଦାର ଇନିଂସ ଖେଳିଛନ୍ତି।
ବିରାଟ ଅଷ୍ଟ୍ରେଲିଆରେ(ଉଭୟ ଦିନିକିଆ ଓ ଟେଷ୍ଟ) ନିଜର ୧୦ମ ଶତକ ମଧ୍ୟ ହାସଲ କରିଛନ୍ତି। ବିଦେଶ ମାଟିରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ମଧ୍ୟ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ଓ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୭ଟି ଶତକ ମାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ରାହୁଲ ଡ୍ରାଭିଡ ୬ଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ତେନ୍ଦୁଲକର ୬ଟି ଶତକ ଟେଷ୍ଟ କ୍ରିକେଟରେ ହାସଲ କରିଛନ୍ତି।
ପର୍ଥ ଟେଷ୍ଟରେ ଜବରଦସ୍ତ କମବ୍ୟାକ୍ ସହ ଏକାଧିକ ରେକର୍ଡର ଭାଗିଦାରୀ ହୋଇଛନ୍ତି ଭାରତର ଯୁବ ତାରକା ଯଶସ୍ୱୀ ଜୈସ୍ୱାଲ। ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିବା ଯଶସ୍ୱୀ ଦ୍ୱିତୀୟ ଇନିଂସରେ ରେକର୍ଡ ପରେ ରେକର୍ଡ କରିଛନ୍ତି। ସଚିନ ତେନ୍ଦୁଲକର, ଗ୍ରେମ ସ୍ମିଥ୍ ଏବଂ ଜାବେଦ ମିଆନ୍ଦାଦଙ୍କ ସମକକ୍ଷ ହୋଇଛନ୍ତି ଯଶସ୍ୱୀ। ସେ ମାତ୍ର 23 ବର୍ଷ ବୟସରେ 4ଟି 150 ମାରିବାରେ ଏହି ତିନି ଷ୍ଟାର୍ ବ୍ୟାଟରଙ୍କ ସମକକ୍ଷ ହୋଇଛନ୍ତି। ଏମାନଙ୍କ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତି କ୍ରିକେଟର ଡନ୍ ବ୍ରାଡମ୍ୟାନ୍ (ଦିବଂଗତ)। ସେ 23 ବର୍ଷ ବେଳକୁ 8ଟି 150 ମାରି ଟେଷ୍ଟ୍ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ପରେ ଜାବେଦ ମିଆନ୍ଦାଦ, ଗ୍ରେମ ସ୍ମିଥ୍ ଏବଂ ସଚିନ ତେନ୍ଦୁଲକର 4ଟି ଲେଖାଏଁ 150 ରନ୍ କରିଥିଲେ। ଏମାନଙ୍କ ପରେ ଯଶସ୍ୱୀ ଏହି ରେକର୍ଡ କରିବାରେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି। ରାହୁଲ ୭୭ ରନ୍ରେ ଆଉଟ୍ ହୋଇଥିବା ବେଳେ ଯଶସ୍ୱୀ ୧୬୧ ରନ୍ କରି ଆଉଟ୍ ହୋଇଥିଲେ।
ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଇନିଂସରେ ଆଜି ଅଷ୍ଟ୍ରେଲିଆ ୪.୨ ଓଭର ବ୍ୟାଟିଂ କରିଥିଲେ ହେଁ ୧୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବୁମ୍ରା ନିଜର ପ୍ରଥମ ଓଭରରେ ନାଥନ ମ୍ୟାକସ୍ୱିନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ କରିଥିଲେ। ମ୍ୟାଚ୍ ଜିତିବା ପାଇଁ ଭାରତକୁ ୭ ୱିକେଟର ଆବଶ୍ୟକ ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଠାରୁ ୫୨୨ ରନ ଦୂରରେ ରହିଛି।