ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ବାଲିପଠାରେ ୨୨ ତାରିଖ ଯାଏ ଚାଲିବ । ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର । ଚଳିତ ବର୍ଷ କଟକ ଇନ୍ କଟକରେ ରହିବ ଓଡ଼ିଆ ଅସ୍ମିତା ଓ ସିନେମା । ୩ଟି ଶୋରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ୱତନ୍ତ୍ର ପାଭିଲିୟନରେ ଏକ ମିନି ଥିଏଟର ସ୍ଥାନ ପାଇଛି । ସେଠାରେ ବିଭିନ୍ନ ଦିନରେ ୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରତିଦିନ ୨ଟି ଲେଖାଏ ସୋରେ ପ୍ରଦର୍ଶିତ କରାଯିବ ଚଳଚ୍ଚିତ୍ର । ଯେଉଁଥିରେ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ୩୦ରୁ ଅଧିକ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ଫିଲ୍ମ ପ୍ରେମୀଙ୍କୁ ଡାଏଲଗ କହିବା ପାଇଁ ସୁଯୋଗ ଦିଆଯିବ । କେବଳ ସେତିକି ନୁହେଁ, ଓଡ଼ିଆ ଗୀତର ଧୂନ ବାଜୁଥିବ ଏବଂ ଯେ କେହି ନିଜ ସ୍ୱରକୁ ଯୋଡ଼ି ଗୀତକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ହୋଇଛି । ଯାହାକୁ ନେଇ ବେଶ ଉତ୍ସାହିତ କଟକବାସୀ । ଏହା ହେଉଛି ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ ।ସେହିପରି ଓଡ଼ିଶାର ବିଭିନ୍ନ ପିଠା ସହ ଅନ୍ୟ ଦେଶର ପିଠା ଷ୍ଟଲ୍ ଲାଗିବ । ଭିଡ଼କୁ ଦୃଷ୍ଟିରେ ରଖି ତଳ ଓ ଉପର ପଡ଼ିଆରେ ୪ଟି ଗେଟ୍ କରାଯାଇଛି । ବୟୋଜ୍ୟେଷ୍ଠଙ୍କ ସୁବିଧା ପାଇଁ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏହା ମଧ୍ୟରେ ଏଥର ମେଳାରେ ଆକର୍ଷଣ ସାଜିବ ସିଂଗିଲ ଟାୱାର ଓ ସୁନାମି ଦୋଳି । ରାମ ଦୋଳି, ଟୟ ଟ୍ରେନ୍, ଡିସ୍କୋ ଓ ଟୋରାଟୋରା, ଡ୍ରାଗନ୍, ବ୍ରେକ ଡ୍ୟାନ୍ସ ଆଦି ଦୋଳିର ମଜା ନେବେ ଦର୍ଶକ । ଯାହାର ମୂଲ୍ୟ ୮୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିବ । ତେବେ ଚଳିତବର୍ଷ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଆତସବାଜିରେ ସମସ୍ତଙ୍କୁ କରାଯିବ ସ୍ବାଗତ । ଏଥର ବାଲିଯାତ୍ରାକୁ ଅନ୍ତର୍ଜାତୀୟସ୍ତରରେ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ୮ ଦିନ ଧରି ଚାଲିବାକୁ ଥିବା ଏହି ବିରାଟ ମହୋତ୍ସବରେ ରେକର୍ଡ ସଂଖ୍ୟକ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ । ମୁଖ୍ୟ ଆକର୍ଷଣ ପାଲଟିବ ଲେଜର ସୋ, ମହାନଦୀର ଜଳରାଶିରେ ଜଳକ୍ରୀଡ଼ା ସାଙ୍ଗକୁ ଡ୍ରୋନ ସୋ’, କଟକ ଇନ୍‌ କଟକ । ଏଥିସହ ଉପର ଓ ତଳ ପଡ଼ିଆରେ ୨୫୦୦ ଷ୍ଟଲ ହୋଇଛି । କଟକ ବାଲିଯାତ୍ରା ସବୁବେଳେ ସ୍ବତନ୍ତ୍ର । ଏହାର ଐତିହ୍ୟ ଯେମିତି, ସେମିତି ରହିଛି ଉତ୍କଳୀୟ ପରମ୍ପରା । ୩୪ ଏକର ତଳ ପଡ଼ିଆ ଓ ୮.୫ ଏକର ଉପର ପଡିଆରେ ହେବ ବାଲିଯାତ୍ରା । ଭଳିକି ଭଳି ଦୋଳି ସାଙ୍ଗକୁ ୨୫୦୦ ଷ୍ଟଲ ପଡ଼ିବ । ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଇ ଏଥର ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି କଟକ ଇନ୍ କଟକ । ଜିଲା ପ୍ରଶାସନ ପକ୍ଷରୁ ଓଡ଼ିଆ ସିନେମାରେ ଓଡ଼ିଆ ଅସ୍ମିତାକୁ ନେଇ ତିଆରି ହୋଇଛି ସ୍ବତନ୍ତ୍ର ପାଭିଲିଆନ୍ । ପ୍ରତି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ ।

Leave a Reply

Your email address will not be published. Required fields are marked *