ଚମ୍ପିଆନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ୍ ଘୋଷଣ କରିଛି ଭାରତ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି । ଏହା ସହିତ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ମଧ୍ୟ ଆଜି ଦଳ ଚୟନ କରାଯାଇଛି । ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ଅର୍ଥାତ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଚାମ୍ପିଅନ୍ସ ଟ୍ରଫି ଖେଳିବ ।
ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୈସୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜା ଅଛନ୍ତି।
୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳରେ ସାମିଲ କରାଯାଇଛି। ସେମାନଙ୍କ ସହିତ ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଯଶସ୍ୱୀ ଜୈସୱାଲ ମଧ୍ୟ ଟିମ୍ରେ ଅଛନ୍ତି। ଉଭୟ ଋଷଭ ପନ୍ତ ଓ କେ.ଏଲ ରାହୁଲ ୧୫ ଜଣିଆ ସ୍କ୍ୱାଡ୍ରେ ସ୍ଥାନ ପାଇଛନ୍ତି। ସେମାନଙ୍କୁ ୱିକେଟ୍ କିପର ଭାବେ ସାମିଲ କରାଯାଇଛି। କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ବି ଟିମ୍ରେ ନିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୁଲଦୀପ ଆହତ ହୋଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ସୁଯୋଗ ପାଇଛନ୍ତି। କିନ୍ତୁ ମହମ୍ମଦ ସିରାଜ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ ଓ କରୁଣ ନାୟର ଟିମ୍ରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି।
୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ମଧ୍ୟରେ ମୋଟ ୧୫ଟି ମ୍ୟାଚ୍ ହେବ । ଦଳଗୁଡ଼ିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପ୍-ଏରେ ଅଛନ୍ତି । ସେମାନଙ୍କ ସହିତ ଅନ୍ୟ ଦୁଇଟି ଦଳ ହେଉଛି ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ । ସେହିପରି ଗ୍ରୁପ୍-Bରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ ଗ୍ରୁପ୍ ବିରେ ରହିଛି । ସମସ୍ତ ୮ଟି ଦଳ ନିଜ ନିଜ ଗ୍ରୁପରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବେ । ଏହା ପରେ, ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ପ୍ରଥମ ସେମିଫାଇନାଲ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ଲାହୋରରେ ଅନୁଷ୍ଠିତ ହେବ । ଏହା ପରେ ଫାଇନାଲ ମ୍ୟାଚ୍ ଖେଳାଯିବ।
CHAMPIONS TROPHY FULL SHEDULE

ଚାମ୍ପିଅନ୍ସ ଟ୍ରଫିର ଏହି ସମସ୍ତ ୧୫ଟି ମ୍ୟାଚ୍ ୪ଟି ସ୍ଥାନରେ ଖେଳାଯିବ। ପାକିସ୍ତାନରେ ୩ଟି ଭେନ୍ୟୁ ରହିଥିବାବେଳେ ଦୁବାଇରେ ଗୋଟିଏ ଭେନ୍ୟୁ ରହିଛି । ଭାରତୀୟ ଦଳ କେବଳ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳିବ । ଯଦି ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରେ, ତେବେ ଫାଇନାଲ ମଧ୍ୟ ଦୁବାଇରେ ଅନୁଷ୍ଠିତ ହେବ । ନଚେତ୍ ଟାଇଟଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଲାହୋରରେ ଖେଳାଯିବ । ସେମିଫାଇନାଲ ମ୍ୟାଚ୍ ଏବଂ ଫାଇନାଲ୍ ପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି ।