ଆସିଗଲା ଏ ଯୁଗର ସବୁଠୁ ବଡ଼ ଖବର । ଆଗକୁ ଆଉ ଜୀବନ ନେଇପାରିବନି ମାରାତ୍ମକ କ୍ୟାନସର । କିଛିଦିନ ତଳେ କ୍ୟାନ୍ସର ପାଇଁ ମେଡ଼ିସିନ ଖବର ଠାରୁ ଏହା ଅତି ବଡ ତଥା ଖୁସିର ଖବର ଯେ ଏବେ କ୍ୟାନସରକୁ ମାତ୍ ଦେବା ପାଇଁ କ୍ୟାସନର ଟିକା ଆସିଯାଇଛି । ଆଜି ବିଶ୍ୱର ପ୍ରାୟ ୨ କୋଟିରୁ ଅଧିକ ଲୋକ କ୍ୟାନସର ଭଳି ରୋଗରେ ପୀଡିତ। ଏହି ରୋଗ ପାଇଁ ଏଯାଏ କୌଣସି ଫଳପ୍ରଦ ଔଷଧ ବି ବଜାରରେ ଉପଲବ୍ଧ ନାହିଁ। ଏଭଳି ପରିସ୍ଥିତିରେ ରୁଷ ଆଣିଛି ଏକ ଖୁସି ଖବର। କ୍ୟାନସରକୁ ମାତ୍ ଦେବା ପାଇଁ କ୍ୟାସନର ଟିକା ଉଦ୍ଭାବନ କରିଥିବା ଦାବି କରିଛି ରୁଷ ।
ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଏମିତି କିଛି ବଡ଼ ଦାବି କରିଛି ରୁଷିଆ । ରାଷ୍ଟ୍ରପତି ପୁତିନ କହିଛନ୍ତି, ତାଙ୍କର ବୈଜ୍ଞାନିକ କ୍ୟାନସର ଭ୍ୟାକସିନ୍ ବାହାର କରିସାରିଲେଣି । କେବଳ ସେତିକି ନୁହେଁ ୨୦୨୫ରେ ସେ ମାଗଣାରେ ଏହି ଟିକା ନିଜ ଦେଶର ନାଗରିକଙ୍କୁ ଦେବେ । ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏହି ଘୋଷଣା ପରେ ସାରା ଦେଶରେ ଚର୍ଚ୍ଚା । ଯେଉଁ ମାରାତ୍ମକ କ୍ୟାନସର ପ୍ରତିଦିନ ବିଶ୍ବରେ ଶହ ଶହ ଲୋକଙ୍କ ଜୀବନ ନେଉଛି, ତାହାର ଟିକା ବାହାରିଯାଇଛି । ସାରା ବିଶ୍ବ ଯାହାକୁ ନେଇ ବର୍ଷ ବର୍ଷ ଧରି ଗବେଷଣା କରୁଛି, ସେଥିରେ ରୁଷିଆ ବୈଜ୍ଞାନିକଙ୍କୁ ସଫଳତା ମିଳିଥିବା ନେଇ ଦାବି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ।
ଆପଣ ଜାଣନ୍ତି କି, ପାଖା ପାଖି 200 ରୁ ଅଧିକ ପ୍ରକାରର କର୍କଟ ରୋଗ ଅଛି, ଏବଂ ଅନୁସନ୍ଧାନ ଜାରି ରହିଲେ ନୂତନ ଉପ ପ୍ରକାର ଏବଂ ଭିନ୍ନତା ଆବିଷ୍କୃତ ହେଉଛି | କର୍କଟଗୁଡିକ ଶରୀରରେ କେଉଁଠାରୁ ଉତ୍ପନ୍ନ ହୁଏ, ସେମାନେ ପ୍ରଭାବିତ ହେଉଥିବା ଟିସୁ ପ୍ରକାର କିମ୍ବା ସେମାନଙ୍କୁ ସୃଷ୍ଟି କରିଥିବା କୋଷର ପ୍ରକାର ଦ୍ୱାରା ଶ୍ରେଣୀଭୁକ୍ତ କରାଯାଏ |
ସାଧାରଣତଃ କ୍ୟାନସର ନାଁ ଶୁଣିଲେ ବି ଡର ଲାଗେ । ଚୁଟି ଆଉ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗରେ କ୍ୟାନସର ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମଣିଷ ଶରୀରରେ ଯଦି କୌଣସି ସେଲ୍ ଅଚାନକ ବୃଦ୍ଧି ପାଇ ଟ୍ୟୁମର ରୂପ ନେଲେ ତାହାକୁ କ୍ୟାନସର କୁହାଯାଏ । ଆମ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତି ଏହାକୁ ଚିହ୍ନଟ କରିପାରେନି । ଏଭଳି ସ୍ଥିତିରେ ରୁଷିଆର ଟିକା କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ । ଋଷ କହିଛି ଯେ, କ୍ଯାନସର ବିରୋଧରେ ସେ ନିଜର mRNA ଭ୍ଯାକସିନକୁ ବିକଶିତ କରି ପାରିଛି । ଭ୍ଯାକସିନର କ୍ଲିନିକାଲ ଟ୍ରାଏଲରୁ ମଧ୍ଯ ଜଣାପଡିଛି ଯେ, ଏହା ଟ୍ୟୁମରକୁ ରୋକିବାରେ ସହାୟତା ପ୍ରଦାନ କରୁଛି ।
ଭାରତରେ ମଧ୍ୟ ପ୍ରତିଦିନ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଆକଳନ ଅନୁସାରେ, ୨୦୨୫ ଶେଷ ସୁଦ୍ଧା କେବଳ ଭାରତରେ ୧୫ ଲକ୍ଷ ୭୦ ହଜାର କର୍କଟ ଆକ୍ରାନ୍ତ ହୋଇପାରନ୍ତି । ଏହା ମଧ୍ୟ ଦେଖାଯାଉଛି, ଆମ ଦେଶରେ ପୁରୁଷ ଅପେକ୍ଷା ମହିଳାମାନେ ଅଧିକ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ଗତ ୫ ବର୍ଷ ଭିତରେ ୧୨ ପ୍ରତିଶତ ଲେଖାଏଁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । କ୍ୟାନସର ସେଲ୍କୁ ସାଧାରଣତଃ ଅନ୍ୟ ସେଲ୍ ଭଳି ହୋଇଥାଏ । ସେଥିପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହି ବିପଦକୁ ଜାଣିପାରେନି । ତେଣୁ ଏହାକୁ ଶରୀରରେ କେମିତି ନଷ୍ଟ କରିପାରେନି । ରୁଷିଆ ବୈଜ୍ଞାନିକ ଦାବି କରିଛନ୍ତି, ଏହି ଭ୍ୟାକସିନ୍ ରୋଗ ପ୍ରତିରୋଧକ ଶକ୍ତିକୁ କ୍ୟାନସର ସେଲ୍କୁ ଚିହ୍ନିବାରେ ସହାୟକ ହେବ ।
ରିପୋର୍ଟ ଅନୁଯାୟୀ, ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ହେବ। ରୁଷର ବୈଜ୍ଞାନିକମାନେ ପୂର୍ବରୁ ଦେଇଥିବା ବିବୃତ୍ତିରୁ ଜଣାପଡିଛି ଯେ ପାଶ୍ଚାତ୍ୟ ଦେଶରେ ବିକଶିତ ହେଉଥିବା କର୍କଟ ଟିକା ପରି ପ୍ରତ୍ୟେକ ଡୋଜ୍ ବ୍ୟକ୍ତିଗତ ରୋଗୀଙ୍କ ପାଇଁ ପ୍ରସ୍ତୁତ ହେବ। ତେବେ ଏହି ଟିକା କେଉଁ ପ୍ରକାରର କ୍ୟାନସର୍ ଚିକିତ୍ସାରେ ବ୍ୟବହାର କରାଯିବ, ଏହାର ପ୍ରଭାବ କିଭଳି ରହିବ, ରୁଷ ଏହାକୁ କିଭଳି ଲାଗୁ କରି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ। ଏଥି ସହିତ ଏହି ଟିକାର ନା’ କ’ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ବିଶ୍ୱର ଅନ୍ୟ ଦେଶ ଭିଳ ରୁଷରେ ମଧ୍ୟ କ୍ୟାନସର ହାର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ ମସିହାରେ ଏଠାରେ ୫,୩୫,୦୦୦ ରୁ ଅଧିକ କର୍କଟ ରୋଗୀଙ୍କ ମାମଲା ରେକର୍ଡ କରାଯାଇଥିଲା। ରୁଷରେ କୋଲନ୍, ସ୍ତନ ଏବଂ ଫୁସଫୁସ କର୍କଟ ସବୁଠାରୁ ସାଧାରଣ ବୋଲି କୁହାଯାଏ।
ସେପଟେ କ୍ୟାନସର ରୋଗୀଙ୍କ ପାଇଁ ଆଉ ଏକ ଖୁସି ଖବର । ଖୁବଶୀଘ୍ର ବଜାରକୁ ଆସିବ ବୋଲି ଜଣା ପଡିଛି କ୍ୟାନସର ମେଡିସିନ୍ । ବ୍ଲଡ କ୍ୟାନସର ଔଷଧର ପ୍ରଥକ କ୍ଲିନିକାଲ୍ ଟ୍ରାଏଲ ଏକପ୍ରକାର ସଫଳ ହୋଇଛି କହିଲେ ଅତ୍ଯୁକ୍ତି ହେବ ନାହିଁ । ଗ୍ଲେନମାର୍କ ଫାର୍ମା ନାମକ ଏକ କମ୍ପାନୀ ଏହି ଔଷଧ ବାହାର କରିଛି । ଯାହାର ପ୍ରଥମ କ୍ଲିନିକାଲ୍ ଟ୍ରାଏଲରେ ୮୩ ପ୍ରତିଶତ ପଜିଟିଭ୍ ପ୍ରତିକ୍ରିୟା ମିଳିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଗ୍ଲେନମାର୍କର ରକ୍ତ କର୍କଟ ଔଷଧର ସଫଳ କ୍ଲିନିକାଲ୍ ପରୀକ୍ଷଣ ପରେ ବ୍ଲଡ କ୍ୟାନସର ରୋଗୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତିକର ଖବର କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଖୁବଶିଘ୍ର ଏହା ବଜାରକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।