ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାର ଯାଇଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳାଦ୍ରି ବିହାରରେ ପହଞ୍ଚି ଆଦିବାସୀ ଦେବସ୍ଥାନ ସାନ୍ତାଳୀ ପୀଠରେ ପୂଜାର୍ଚ୍ଚନା କରିଥିଲେ। ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଲୋକାର୍ପଣ କରିଥିଲେ। ତା’ ପରେ ପାଖରେ ଥିବା ଏକ ପାର୍କ ବୁଲି ଦେଖିଥିଲେ। ଆଉ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ କଥା ହୋଇଥିଲେ। ପ୍ରତିମୂର୍ତ୍ତି ଲୋକାର୍ପଣ ପରେ ରାଷ୍ଟ୍ରପତି ରାଜ ଭବନ ଅଭିମୁଖେ ଫେରିଛନ୍ତି। ଆଜି ରାତିରେ ରାଷ୍ଟ୍ରପତି ରାଜ ଭବନରେ ରହିବେ। ଆସନ୍ତାକାଲି ପୁରୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତାକାଲି ସକାଳ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ। ଅପରାହ୍ନ ୩ଟା ୫୫ ମିନିଟରେ ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ।
ଅଧିକ ଜାଣିବା ପାଇଁ ଶେଷରେ ଦିଆଯାଇଥିବା ଭିଡ଼ିଓ ଦେଖନ୍ତୁ
ଡିସେମ୍ବର ୫ତାରିଖରେ ଓୟୁଏଟିର ୪୦ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିଦିନ ଭୁବନେଶ୍ୱରର ନ୍ୟାୟିକ କୋର୍ଟର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ । ଡିସେମ୍ବର ୬ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଉପରବେଡ଼ାଠାରେ ଛାତ୍ରଛାତ୍ରୀ ଓ ଗାଁ ଲୋକମାନଙ୍କ ସହ ମତବିନିୟମ କରିବେ । ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପିକମାନଙ୍କ ସହ କଥା ହେବେ ।
୭ ତାରିଖରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳଲାଇନ୍, ରାଇରଙ୍ଗପୁର ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନ ବନ୍ଦର ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।