ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଡିଜି ସମ୍ମିଳନୀରେ ଯୋଗଦେବା ସହ ଫୋକସରେ ରହିବ ସରକାର ଓ ସଂଗଠନ ।
ସମ୍ମିଳନୀରେ ଦେଶର ବହୁ ବରିଷ୍ଠ ପୋଲିସ ଅଧିକାରୀ ରହିବେ ।
ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ବିଚାର ବିମର୍ଶ ହେବ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପିଏମ ମୋଦି ।
ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ସଭାରେ ବିକାଶର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ- କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ଫଳ ପରେ ସମସ୍ତଙ୍କ ପାଟି ଚୁପ୍ । ରାଜଧାନୀରେ ପହଞ୍ଚିବା ପରେ ଏକ ସଭାକୁ ସମ୍ବୋଧନ କରିବାକୁ ଯାଇ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।
ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି ଓ ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଲେ । ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ ବୋଲି କହିଥିଲେ ମୋଦି । ପୂର୍ବରୁ ମନ୍ତ୍ରି ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି । ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ପ୍ରଶଂସା ପାଉଛୁ । ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ବଲାଙ୍ଗୀରର ଭଲ ମସଲା ଚା ପିଇଥିଲେ ବୋଲି ମଧ୍ୟ କହିଥିଲେ ।
ଅନ୍ୟପଟେ ବିରୋଧୀଙ୍କୁ ନିଶାନା କରିବାକୁ ମଧ୍ୟ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ରାଜନୀତିରେ ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି । ଚୌକିଦାର ଚୋର୍ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଓଡ଼ିଶାବାସୀ ସଫଳତାର ସହ ବାଲି ଯାତ୍ରା ଆୟୋଜନ କରିଛନ୍ତି । ଶହେରୁ ଊର୍ଦ୍ଧ୍ୱ ବର୍ଷ ହେଲା ଦେଶରେ ଡିଜିପି ସମ୍ମିଳନୀ ହେଉଛି । ମାତ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି ବୋଲି ମଧ୍ୟ କହିଥିଲେ ।
ମୋଦି ତାଙ୍କ ଭାଷଣରେ କହିଥିଲେ, ଡିସେମ୍ବର ୪ରେ ନୌସେନା ଦିବସ ଓଡ଼ିଶାରେ ପାଳନ ହେବ । ଜାନୁଆରୀରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ସାରା ବିଶ୍ୱରୁ ଲୋକ ଭୁବନେଶ୍ୱରକୁ ଆସିବେ । ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି । ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡ ରେ କାମ କରୁଛୁ ବୋଲି ମଧ୍ୟ କହିଥିଲେ ।
ସେହିପରି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଜନତାଙ୍କ ସହ ଯୋଡ଼ି ହୋଇଛନ୍ତି । ଜନତାଙ୍କ ସହ ଯୋଡ଼ି ହେବା ବିଜେପିର ନୀତି ଆଦର୍ଶ । ମା’ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢ଼ାଇଛନ୍ତି । ଓଡିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ୍ ଜନମନ ସୁବିଧା ମିଳୁଛି । ଏଠାରେ ଧାନର ଏମ୍ଏସ୍ପି ୩୧୦୦ ଟଙ୍କା ଦିଆଯାଉଛି ।
ସୂଚନାଯୋଗ୍ୟ, ଆଜିଠାରୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀ ଆରମ୍ଭ ହୋଇଛି। ଏହାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି। ଆସନ୍ତାକାଲି ଓ ରବିବାର ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ।
PM Narendra Modi Speech in Bhubaneswar ( FULL VIDEO )