ପ୍ରଥମଥର ପାଇଁ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଦିନ ଲୋକସଭାର କେରଳର ୱାୟାନାଡରୁ ସାଂସଦ ଭାବରେ ଶପଥ ଗ୍ରହଣ କରି ଭାଇ ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଏବଂ ମାତା ସୋନିଆ ଗାନ୍ଧୀଙ୍କ ସହ ସଂସଦରେ ଯୋଗ ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। 52 ବର୍ଷିୟା ପ୍ରିୟଙ୍କା ଗାନ୍ଧି ଆଜି ସଂସଦରେ ଡେବ୍ୟୁ କରିଥିଲେ, ଯାହାକି ଗୋଟିଏ ପରିବାରର ତିନିଜଣ ସଦସ୍ୟ ଏକାସାଙ୍ଗରେ ସାଂସଦ ଭାବରେ କାର୍ଯ୍ୟ କରିବାର ଏକ ବିରଳ ଉଦାହରଣ ହୋଇପାରିଛି।  ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା’ ସୋନିଆ ଗାନ୍ଧି ରାଜ୍ୟସଭାରେ ନଜର ଆସିବେ।

ହାତରେ ସମ୍ବିଧାନର ଏକ ନକଲ ଧରି ପ୍ରିୟଙ୍କା ହିନ୍ଦୀରେ ଶପଥ ନେଇଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ସଂସଦରେ ବସିଥିବା ସାଂସଦଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଲୋୟର ହାଉସର ଗ୍ୟାଲେରୀରେ ତାଙ୍କ ସ୍ୱାମୀ ରବର୍ଟ ଭଡ୍ରା ଏବଂ ତାଙ୍କ ପିଲାମାନେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି। ମଲୟାଲି ଉତ୍ସବରେ ସ୍ୱତନ୍ତ୍ର ରୂପେ ଗୋଲ୍ଡେନ୍‌ ବର୍ଡର ଥିବା ଧଳା ରଙ୍ଗର କାସାଭୁ ଶାଢ଼ୀ ପିନ୍ଧାଯାଏ। ପ୍ରିୟଙ୍କା ଶପଥ ଗ୍ରହଣ ବେଳେ ଶାଢ଼ୀ ପିନ୍ଧି ୱାୟନାଡରେ ସେ ସକ୍ରିୟ ଭାବରେ କାମ କରିବାକୁ ନେଇ ଇସାରା ଦେଇଛନ୍ତି।

ଉଭୟ ୱାୟନାଡ ଏବଂ ରାବେରେଲିରୁ ଜିତିବା ପରେ ରାହୁଲ ଗାନ୍ଧି ଓ୍ୱାୟନାଡ ଆସନ ଛାଢ଼ିଥିଲେ। ପରିବାରର ଭିତ୍ତିଭୂମି ବଜାୟ ରଖିବାକୁ ନିଷ୍ପତ୍ତି ନେଇ ୱାୟାନାଡରୁ ଭଉଣୀ ପ୍ରିୟଙ୍କାଙ୍କୁ ଉପ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରିୟଙ୍କା ନିର୍ବାଚନ ଲଢ଼ି ରାହୁଲଙ୍କଠାରୁ ବି ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସାଂସଦ ଭାବେ ଶପଥ ଗ୍ରହଣ କରିବାରେ ସୋନିଆ ଗାନ୍ଧି ଏବଂ ତାଙ୍କ ଜେଜେମା ତଥା ପୂର୍ବତନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପରେ ପ୍ରିୟଙ୍କା ଗାନ୍ଧି ପରିବାରର ତୃତୀୟ ମହିଳା ଅଟନ୍ତି। ସେପଟେ ପ୍ରିୟଙ୍କା ଗାନ୍ଧି ସାଂସଦ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।

Leave a Reply

Your email address will not be published. Required fields are marked *