ଝାଡ଼ଖଣ୍ଡରେ ପୁଣି ହେବାକୁ ଯାଉଛି ଜେଏମଏମ୍ ସରକାର । ମହାମେଣ୍ଟର ମହାବିଜୟ । ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍ । ଏନଡିଏ ଖାତାରେ ପଡିଛି ୨୪ ଆସନ । ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର । ବାଜି ଜିତିଲା ମହାମେଣ୍ଟ । ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍। ଏକ୍ ହି ନାରା, ହେମନ୍ତ ଦୋବାରା, ଏହି ସ୍ଲୋଗାନ ଆଗରେ କାମ ଦେଲାନି ବିଜେପିର ରୋଟି, ବେଟି ଓ ମିଟ୍ଟି ନାରା । ଲଗାତାର ଦ୍ୱିତୀୟ ଥର ଝାଡ଼ଖଣ୍ଡ କ୍ଷମତା ଗାଦି ଦଖଲ କରିଛି ଜେଏମଏମ୍-କଂଗ୍ରେସ ମହାମେଣ୍ଟ । ବିଜୟ ପରେ ଜୋରଦାର ସେଲିବ୍ରେସନ୍ ହୋଇଛି । ବାଜା ବଜାଇ, ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ମନାଇଛନ୍ତି ଦଳୀୟ ନେତା ଓ କର୍ମୀ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ହେମନ୍ତ ସୋରେନ। ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ୍ ବି ଗାଣ୍ଡେରୁ ଜିତିଛନ୍ତି। ବିଜୟର ଶ୍ରେୟ ପତ୍ନୀ କଳ୍ପନା ଓ ଟିମକୁ ଦେଇଛନ୍ତି ହେମନ୍ତ । ସେପଟେ ଜନମତକୁ ସ୍ୱୀକାର କରିଛି ବିଜେପି।
Jharkhand Election Result
Total Seats (81/81) Magic No – 41
BJP+ 24
JMM+ 56
OTH 01
ଚଳିତ ନିର୍ବାଚନରେ ଝାଡ଼ଖଣ୍ଡ ଦେଖିଥିଲା ବିଗ୍ ଫାଇଟ୍। କ୍ଷମତା ବଜାୟ ରଖିବାକୁ ପୂରା ଦମ୍ ଖଟାଇଥିଲେ ହେମନ୍ତ। ସେପଟେ ମହାମେଣ୍ଟ ହାତକୁ ଶାସନ ଡୋରି ଛଡ଼ାଇ ଆଣିବାକୁ ବିଜେପି ବଡ଼ ବ୍ଲୁ ପ୍ରିଣ୍ଟ କରିଥିଲା । ବିଜେପିର ରୋଟି, ବେଟି ଓ ମାଟି ମୁଦ୍ଦା ଝାଡ଼ଖଣ୍ଡ ଦଖଲ ଅଭିଯାନକୁ ଫାଇଦା ଦେଲାନି । ହେମନ୍ତଙ୍କ ବିଜୟରେ ବଡ଼ ଶ୍ରେୟ ମହିଳା ଭୋଟରଙ୍କୁ ଯାଇଥିବା କୁହାଯାଉଛି । ସ୍କୁଲ ଛାତ୍ରୀଙ୍କୁ ସାଇକେଲ୍, ଗୋଟିଏ ସନ୍ତାନର ଜନନୀଙ୍କୁ ଆର୍ଥିକ ସହାୟତା, ବେରୋଜଗାର ମହିଳାକୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଥିଲା ଜେଏମଏମ୍ । ତେବେ ମ୍ୟାଜିକ୍ ଭଳି କାମ କଲା ମୈୟା ସମ୍ମାନ ଯୋଜନା । ଯେଉଁଥିରେ ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଦେବାକୁ ଗ୍ୟାରେଣ୍ଟି ଦେଇଥିଲେ ହେମନ୍ତ । ଏହି ସ୍କିମ ଝାଡ଼ଖଣ୍ଡର ଆଦିବାସୀ ବହୁଳ ଭୋଟରଙ୍କୁ ଛୁଇଁଥିବା କୁହାଯାଉଛି। ସେପଟେ ଜନମତକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଚମ୍ପାଇ ସୋରେନ୍ ।
ଇଭିଏମ୍ ପେଡ଼ି ଖୋଲିବା ପରଠୁ ବିଭିନ୍ନ ବିଧାନସଭା ସିଟରେ ଆଗରେ ରହିଥିଲେ ମହାମେଣ୍ଟ ପ୍ରାର୍ଥୀ । ରେଜଲ୍ଟ ଆସିବା ସହ ରାଞ୍ଚି ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍ । ବରହେଟରୁ ହେମନ୍ତ ସୋରେନ, ଗାଣ୍ଡେରୁ ପତ୍ନୀ କଳ୍ପନା ସୋରେନ୍ ଜିତିଛନ୍ତି। ସଢ଼େଇକଳାରୁ ପୁଣି ଥରେ ବିଧାୟକ ହୋଇଛନ୍ତି ଜେଏମଏମ୍ ଛାଡି ବିଜେପି କ୍ୟାମ୍ପ ଆସିଥିବା ଭେଟେରାନ୍ ଚମ୍ପାଇ ସୋରେନ୍ । ଓଡ଼ିଶା ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଜାମସେଦରପୁର ଇଷ୍ଟରୁ କଂଗ୍ରେସ ନେତା ଅଜୟ କୁମାରଙ୍କୁ ମାତ ଦେଇଛନ୍ତି । ହେମନ୍ତ ସୋରେନ୍ ବିଜୟର ଶ୍ରେୟ ପତ୍ନୀ କଳ୍ପନା ସୋରେନ ଓ ଟିମକୁ ଦେଇଛନ୍ତି ।କଳ୍ପନା କହିଛନ୍ତି, ଜନତା ବିକାଶର ରାସ୍ତାକୁ ବାଛିଛନ୍ତି । ଝାଡ଼ଖଣ୍ଡରେ ଜନତାଙ୍କ ସରକାର ହେବ।
କୁହାଯାଉଛି, ହେମନ୍ତ ସୋରେନଙ୍କ ବଡ଼ ବିଜୟ ପଛରେ ଆଦିବାସୀ ଭୋଟ୍ । ଝାଡ଼ଖଣ୍ଡ ଦଖଲ ପାଇଁ ଭରପୁର ପ୍ରୟାସ କରିଥିଲା ବିଜେପି। ପ୍ରଚାର ବେଳେ ଅନୁପ୍ରବେଶକାରୀ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିଥିଲେ ବିଜେପି ନେତା । କିନ୍ତୁ ଆଦବାସୀଙ୍କୁ ଏକାଠି କରି ରଖିବାକୁ ଚେଷ୍ଟା କରିଥିଲା ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ। ଅନୁପ୍ରବେଶକାରୀଙ୍କ ପାଇଁ ଝାଡ଼ଖଣ୍ଡର ଆଦିବାସୀ, ମାଟି-ବେଟି ଓ ରୁଟି ସମସ୍ୟା ଭୋଗୁଥିବା କହିଥିଲା ଏନଡିଏ । ଅପରପକ୍ଷରେ କେବଳ ବିକାଶମୂଳକ ଯୋଜନା ଉପରେ ଫୋକସ୍ କରିଥିଲା ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ । କଳ୍ପନା ସୋରେନଙ୍କ ବ୍ରେନ୍ ଚାଇଲ୍ଡ ମୈୟା ସମ୍ମାନ ଯୋଜନା ହିଁ ଇଣ୍ଡିଆ ମେଣ୍ଟକୁ ଦେଇଛି ବଡ଼ ବିଜୟ ।