ପୁଣି ବଢ଼ିଲା ଓଲିଉଡ୍ କଳି । ଗତକାଲି ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେବା ପରେ ଆଜି ପ୍ରେସମିଟ୍‌ କରି ବର୍ଷିଲେ ମନୋଜ ମିଶ୍ର । ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିଲେ ମନୋଜ । ସେ ପ୍ରେସମିଟ୍‌ କରି କହିଛନ୍ତି, ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି । ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ ବୋଲି କହିଛନ୍ତି ମନୋଜ ମିଶ୍ର ।

ସୂଚନା ଅନୁସାରେ ଗତକାଲି ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦାୟାର କରିଥିଲେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ । ଓଡ଼ିଆ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସଂଘ ଏତଲା ଦେଇଥିଲା । ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ’ଣ ଜାଣି ନାହାଁନ୍ତି ବୋଲି ସୋସିଆଲ ମିଡିଆରେ ମନୋଜ ବାରମ୍ବାର ମନ୍ତବ୍ୟ ଦେଉଥିବା ସଂଘ ଅଭିଯୋଗ କରିଛି । ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କହିଥିଲେ । ଏମାନେ ଅଭିଯୋଗ କରିଥିଲେ ଯେ ଅଭିନେତା ମନୋଜ ମିଶ୍ର ଓଡ଼ିଆ ସିନେମାର ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କ ବିରୋଧରେ ସୋସିଆଲ ମିଡିଆରେ ନକରାତ୍ମକ ଟିପ୍ପଣୀ ଦେଇ ସେମାନଙ୍କ ଚରିତ୍ର ସଂହାର କରୁଛନ୍ତି ।

ତେବେ ଆସନ୍ତୁ ଜାଣିବା ସୋସିଆଲ୍ ମିଡ଼ିଆରେ କ’ଣ କହିଥିଲେ ଅଭିନେତା ମନୋଜ ମିଶ୍ର, ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିଭିନ୍ନ ସମୟରେ ବିଭିନ୍ନ କଥା କହିଛନ୍ତି ମନୋଜ ମିଶ୍ର । ତା ମଧ୍ୟରୁ ଗୋଟିଏ ଭିଡିଓରେ ସେ କହିଛନ୍ତି, ‘ଯେଉଁ ପ୍ରଡ୍ୟୁସର ମାନେ କିଛି ଜାଣିନାହାଁନ୍ତି, ସେମାନଙ୍କ ମଧ୍ୟରୁ କିଛି ନିର୍ଦ୍ଦେଶକ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ନେଇ ଫିଲ୍ମ ବନାଉଛନ୍ତି । ବିଗତ ୨୦-୩୦ ବର୍ଷ ହେଲା ଏହା ଚାଲିଛି । ସେଇମାନଙ୍କ ଚକ୍କରରେ ପଡ଼ି ଆଜି ଆମର ଏଭଳି ଅବସ୍ଥା ।’

ଅନ୍ୟପଟେ କିଛି ଦିନ ପୂର୍ବରୁ ମନୋଜ ବି ନିଜେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସୋସିଆଲ୍ ମିଡ଼ିଆରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ମନୋଜ ମିଶ୍ର । ସୋସିଆଲ୍ ମିଡ଼ିଆ, ବିଶେଷ କରି ଏକ ୱେବ୍ ଚାନେଲ୍ ଏବଂ ନିର୍ଦ୍ଧିଷ୍ଟ କିଛି ୟୁଟ୍ୟୁବର୍ସଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମନୋଜ । ଭୁବନେଶ୍ୱର ସାଇବର ଥାନାର ସେ ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *