ତିଲକ ବର୍ମାଙ୍କ ବଡ଼ ଶୋ’। ମାରିଲେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ତାଙ୍କୁ ମିଳିଛି ଏହି ସଫଳତା। ଦଳର ଅନ୍ୟ ଷ୍ଟାର ଖେଳାଳିମାନେ ଫେଲ ମାରିଥିବା ବେଳେ ତିଲକ ବର୍ମାଙ୍କ ଅପରାଜିତ ଶତକୀୟ ପାଳି ଫଳରେ ତୃତୀୟ ଟି-୨୦କୁ ୧୧ ରନରେ ଜିତି ନେଇଛି ଭାରତୀୟ ଦଳ। ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରି ଶେଷରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପ୍ରଥମ ଓଭରରେ ପାଇଥିଲା ବଡ଼ ଝଟକା। ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରି ଯାଇଥିଲେ ଓପନର ସଞ୍ଜୁ ସାମସନ। ଏହା ପରେ ପଡ଼ିଆକୁ ଓହ୍ଲାଇଥିଲେ ତିଲକ ବର୍ମା। ଅଭିଷେକ ଶର୍ମାଙ୍କ ସହିତ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ। ଦୁହେଁ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଥିଲେ। ଦଳର ସ୍କୋର ୮.୪ ଓଭରରେ ୧୦୭ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଅଭିଷେକ ବର୍ମା। ସେ ୨୫ଟି ବଲରୁ ୫୦ ରନ୍ (୩ ଚୌକା, ୫ ଛକା) କରିଥିଲେ। ସେ ଆଉଟ ହେବା ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଉଟ୍ ହୋଇଥିଲେ। ସେ ମାତ୍ର ୧ ରନ୍ କରିବାକୁ ସମର୍ଥ ହୋଇଥିଲେ। ଏମିତି ଗୋଟିଏ ପରେ ଗୋଟିଏ ୫ଟି ୱିକେଟ୍ ପଡ଼ିବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବିସ୍ଫୋରକ ଇନିଂସ ଖେଳିଥିଲେ ତିଲକ ବର୍ମା। ସେ ୫୧ଟି ବଲ୍‌ରୁ ଶତକ କରିଥିବା ବେଳେ ୫୬ଟି ବଲ୍‌ରୁ ୧୦୭ ରନ୍ କରି ଶେଷ ପର୍ଯ୍ୟନ୍ତ ରହିଥିଲେ। ତାଙ୍କର ୧୦୭ ରନ୍ ମଧ୍ୟରେ ୮ଟି ଚୌକା ଓ ୭ଟି ଚୌକା ଥିଲା।

ଜବାବରେ ଦ୍ବିତୀୟ ଇନିଂସରେ ୨୨୦ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରିବା ଘରୋଇ ଦଳ ପାଇଁ ସେତେଟା ସହଜ ନଥିଲା । ଦଳୀୟ ସ୍କୋର ୨୭ ବେଳେ ରିକେଲଟନ ୨୦ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ପରେ ରିଜା ହେଣ୍ଡରିକ୍ସ ୨୧, ଟ୍ରିଷ୍ଟନ ଷ୍ଟବ୍ସ ୧୨ ଓ ଇଡେନ ମାରକ୍ରମ ୨୯ ରନ୍‌ କରି ଆଉଟ୍‌ ହେବା ସହ ଦକ୍ଷିଣ ଆଫ୍ରିକା ୮୪ ରନ୍‌ରେ ୪ଟି ୱିକେଟ୍‌ ହରାଇଥିଲା । କ୍ଲାସେନ ୨୨ଟି ବଲ୍‌ରୁ ୪୧ରନ୍‌ କରିଥିଲେ । ମାତ୍ର ଜାନସେନ କ୍ଷଣକ ମଧ୍ୟରେ ଆଶା ମଉଳାଇ ଦେଇଥିଲେ । ୧୯ତମ ଓଭରରେ ସେ ୨୬ ରନ୍‌ ସଂଗ୍ରହ କରିଥିଲେ । ଶେଷ ଓଭରରେ ଜାନସେନଙ୍କୁ ଆଉଟ୍ କରି ଦଳକୁ ବିଜୟ ଆଡ଼କୁ ନେଇଯାଇଥିଲେ ଅର୍ଶଦୀପ ସିଂହ । ସେ ମୋଟ୍ ୩ଟି ଓ୍ବିକେଟ୍ ନେଇଛନ୍ତି । ଫଳରେ ଟିମ୍ ଇଣ୍ଡିଆକୁ ତୃତୀୟ ଟି-୨୦କୁ ୧୧ରନରେ ଜିତି ନେଇଛି । ତିଲକ୍ ବର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ସିରିଜରେ ଅଗ୍ରଣୀ ହାସଲ କରିଥିବାରୁ ଭାରତୀୟ ଦଳ ଆଗାମୀ ମ୍ଯାଚରେ ମଜବୁତ ଦାବିଦାର ହୋଇ ରହିବ ।

କହିରଖୁ, ଆସନ୍ତାକାଲି ଶେଷ ଟି-୨୦ ମ୍ଯାଚ ଖେଳାଯିବ । ଯାହା ପାଇଁ ଘମାଘୋଟ ଲଢେଇ କରିବେ ଉଭୟ ଦଳ । କାରଣ ଭାରତ ଏ ମ୍ଯାଚ ଜିତିଲେ ସିରିଜ କବ୍ଜା କରିବ ଓ ସାଉଥ ଆଫ୍ରିକା ଜିତିଲେ ସିରିଜ ବରାବର ହୋଇଯିବ । ଆସନ୍ତାକାଲି ସନ୍ଧ୍ଯା ୮ ଟା ୩୦ ରେ ୱଣ୍ଡେରରରେ ଶେଷ ଟି-୨୦ ମ୍ଯାଚ ଖେଳାଯିବ ।

Leave a Reply

Your email address will not be published. Required fields are marked *