ଆପଣ ହୋମ୍ ଲୋନ୍, ଗାଡ଼ି ଲୋନ୍, ପର୍ସନାଲ୍ ଲୋନ୍ କରିଛନ୍ତି କି ? ତା’ହେଲେ ହୁଏତ ଏପରି ଅନେକ ଥର ହୋଇଥିବ ପାଖରେ ଟଙ୍କା ନଥିବାରୁ କିମ୍ବା ଅନ୍ୟ କାରଣ ଯୋଗୁ ଠିକ୍ ସମୟରେ ଆପଣ ଇଏମ୍ଆଇ(EMI) ଦେବାରେ ବିଳମ୍ବ ହୋଇଯାଇଥିବ। ଫଳରେ ବ୍ୟାଙ୍କ ଏହା ଉପରେ ଜରିମାନା(Penal charges) ନେଇଥାଏ। ଏପରିକି ଅନେକ ଗ୍ରାହକ ଜାଣିନଥାନ୍ତି କାହିଁକି ବ୍ୟାଙ୍କ ଏହି ଜରିମାନା ନେଇଥାଏ। ଏସବୁକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ଜାରି କରାଯାଇଛି।
RBI ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ, NFBC କିମ୍ବା ଅନ୍ୟ ଋଣଦାତା ଲୋନ୍ ଅକାଉଣ୍ଟ ଗୁଡ଼ିକର Non Compliance(ଯେଉଁମାନେ ଠିକ୍ ସମୟରେ ଟଙ୍କା ଦେବାରେ ବିଫଳ) ପାଇଁ ଧାର୍ଯ୍ୟ ଜରିମାନା ଉପରେ ସୁଧ ଆଦାୟ କରିପାରିବେ ନାହିଁ। RBI ଏହାର ସର୍କୁଲାର୍ରେ କହିଛି ଯେ, ଏଭଳି ଜରିମାନା ଉପରେ କୌଣସି ସୁଧ ଆଦାୟ କରାଯାଇପାରିବନି। RBI ନିର୍ଦ୍ଦେଶ ଦେଇଛି ଯେ, ବ୍ୟାଙ୍କ ଗୁଡ଼ିକ ଏହି ଜରିମାନା ସୁଧକୁ ରୋଜଗାରର ମାଧ୍ୟମ କରିବା ଉଚିତ୍ ନୁହେଁ। RBI ଏହାର ସର୍କୁଲାରରେ ବ୍ୟାଙ୍କ ପାଇଁ ଲୋନ୍ ଆକାଉଣ୍ଟରେ ଟଙ୍କା ପୈଇଠ କରିବାରେ ଫେଲ୍ ଓ ଜରିମାନା ସମ୍ବନ୍ଧିତ ବ୍ୟାଙ୍କ ଗୁଡ଼ିକ ପାଇଁ ନିୟମ ସ୍ଥିର କରିଛି।
କ’ଣ ରହିଛି ନୂଆ ଗାଇଡ୍ଲାଇନ୍ ?
- ଯଦି କୌଣସି ଲୋନ୍ ଆକାଉଣ୍ଟ ଉପରେ ପେନାଲ୍ଟି ଚାର୍ଜ ଅର୍ଥାତ୍ ଜରିମାନା ଆଦାୟ କରାଯାଇଛି, ତା’ହେଲେ ଏହା ପେନାଲ୍ଟି ଚାର୍ଜ ହେବା ଦରକାର। ଏହା ଜରିମାନା ସୁଧ(Penal Interest) ହେବା ଉଚିତ୍ ନୁହେଁ। ଯାହାକି ଲୋନ୍ର ସୁଧ ସହ ଯୋଡ଼ି ହେବ।
- ବ୍ୟାଙ୍କ ଓ ଅନ୍ୟ ଋଣ ପ୍ରଦାନକାରୀ ସଂସ୍ଥା ସୁଧ ଉପରେ ଚାର୍ଜ ହୋଇଥିବା କୌଣସି ଅତିରିକ୍ତ ଚାର୍ଜ ଲଗାଇ ପାରିବେନି।
- କେତେ ଟଙ୍କା ପେନାଲ୍ଟି ଚାର୍ଜ ଲଗାଯିବ, ତାହା ସଠିକ୍ ହେବା ଉଚିତ୍। ଲୋନ୍ ଆକାଉଣ୍ଟର ଅନୁପାଳନ ସହ ଏହା ଅନୁରୂପ ହେବା ଆବଶ୍ୟକ। ଫଳରେ ବ୍ୟାଙ୍କ ଗୁଡ଼ିକ କୌଣସି ଲୋନ୍/ପ୍ରଡକ୍ଟ କ୍ୟାଟେଗୋରୀରେ ଭେଦଭାବ କରିପାରିବେ ନାହିଁ।
- ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ଉପରେ ଲଗାଯାଇଥିବା ଜରିମାନା, ଅଣ-ବ୍ୟକ୍ତିଗତ ଋଣଦାତାଙ୍କ ଉପରେ ଲଗାଯାଇଥିବା ଜରିମାନାଠୁ ଅଧିକ ହେବ ନାହିଁ।
- ପେନାଲ୍ଟି ଚାର୍ଜ ଓ ଏହାର କାରଣ ସବୁ ଲୋନ୍ ଏଗ୍ରିମେଣ୍ଟରେ ଗ୍ରାହକଙ୍କୁ ସ୍ପଷ୍ଟ ଭାବରେ କୁହାଯିବା ଉଚିତ୍। ଏହାବ୍ୟତୀତ ସୁଧ ଦର ଓ ସେବା ଗୁଡ଼ିକ ସମ୍ପର୍କରେ ବ୍ୟାଙ୍କ ୱେବ୍ସାଇଟ୍ରେ ମଧ୍ୟ ଉପଲ୍ଲବ୍ଧ କରାଯିବା ଉଚିତ୍।
- ଯଦି କୌଣସି ଗ୍ରାହକ ଠିକ୍ ସମୟରେ ଟଙ୍କା ପୈଠ କରିପାରି ନାହାନ୍ତି, ତା’ହେଲେ ସେମାନଙ୍କ ପାଖକୁ ପଠା ଯାଇଥିବା ରିମାଇଣ୍ଡରରେ ‘ପେନାଲ୍ଟି’ ଲେଖିବା ଜରୁରୀ।
- ତେବେ ଏହି ନିୟମ ୨୦୨୪ ମସିହା, ଜାନୁଆରୀ ୧ରେ ଲାଗୁ ହେବ।